ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟରେ ପାଠଚକ୍ର ଆଲୋଚନା

ଭୁବନେଶ୍ୱର, ୭/୧୦: ଭୁବନେଶ୍ୱରସ୍ଥ ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଓ ଆଇ.କ୍ୟୁ.ଏ.ସି.ର ମିଳିତ ଆନୁକୂଲ୍ୟରେ “ଓଡ଼ିଆ ଭାଷାର ଉତ୍ପତ୍ତି, ବିକାଶ ଓ ବର୍ତ୍ତମାନ ସ୍ଥିତି” ଶୀର୍ଷକ ଏକ ପାଠଚକ୍ର ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ବିଭାଗ ମୁଖ୍ୟ ଡ. ଦୀପ୍ତିମୟୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପାଠଚକ୍ରକୁ ଛାତ୍ରୀ ସୋନାଲିକା ମହାରଣା ସଂଯୋଜନା କରିଥିଲେ।ଅଧ୍ୟାପିକା ଶୁଭଶ୍ରୀ ମହାନ୍ତି ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ସୁଜାତା ପାହାନ ସ୍ୱାଗତ ଭାଷଣ ଦେଇଥିଲେ।
ଅତିଥିମାନେ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପରେ +୩ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଆଲୋଚକ ତଥା ବିଶେଷଜ୍ଞ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗର ପ୍ରଫେସର ଡ. ରମେଶ ଚନ୍ଦ୍ର ମଲ୍ଲିକ ଯୋଗଦେଇ ଓଡ଼ିଆ ଭାଷାର ଉତ୍ପତ୍ତି, ଐତିହାସିକ କ୍ରମବିକାଶ, ଭାଷାର ବିଭିନ୍ନ ପର୍ଯ୍ୟାୟ ଏବଂ ବର୍ତ୍ତମାନ ସମୟରେ ଓଡ଼ିଆ ଭାଷା ସମ୍ମୁଖୀନ ହେଉଥିବା ଆହ୍ୱାନ ସମ୍ପର୍କରେ ଗଭୀର ଓ ତଥ୍ୟଭିତ୍ତିକ ଆଲୋଚନା କରିଥିଲେ। ଭାଷାର ମୌଳିକତା ଓ ସ୍ୱାତନ୍ତ୍ର୍ୟକୁ ଅକ୍ଷୁଣ୍ଣ ରଖିବା ସହ ନୂତନ ପିଢ଼ି ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ପ୍ରଧାନ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ସମୃଦ୍ଧ ପରମ୍ପରା, ଏହାର ସୁରକ୍ଷା ଓ ପ୍ରସାର ସମ୍ପର୍କରେ ନିଜର ମତ ରଖିଥିଲେ I ଆଲୋଚନାଚକ୍ରରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପିକା ତଥା ଛାତ୍ରୀମାନେ ସକ୍ରିୟ ଭାବେ ଯୋଗଦେଇ ବିଭିନ୍ନ ପ୍ରଶ୍ନ ଓ ମତାମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମଟି ଏକ ଜ୍ଞାନମୂଳକ ଓ ଫଳପ୍ରଦ ଆଲୋଚନାରେ ପରିଣତ ହୋଇଥିଲା। ଛାତ୍ରୀ ଶ୍ରାବଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।