ଭୁବନେଶ୍ୱରସ୍ଥ ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଏବଂ ଆଇ.କ୍ୟୁ.ଏ.ସି. ମିଳିତ ଆନୁକୂଲ୍ୟରେ ଚଳିତ ବର୍ଷର ପ୍ରଥମ ପାଠଚକ୍ର ଆଲୋଚନା ତା. ୨୨/୦୯/୨୦୨୫ ରିଖ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟ ସଭାକକ୍ଷରେ ଆୟୋଜିତ ‘ଓଡ଼ିଆ କଥା ସାହିତ୍ୟରେ ଗ୍ରାମ ଏବଂ ସହର ଜୀବନର ସଂଘର୍ଷ’ ଶୀର୍ଷକ ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ସାହିତ୍ୟିକା ଡ. ସଂଘମିତ୍ରା ଭଞ୍ଜ ବିଶେଷଜ୍ଞ ଭାବରେ ଯୋଗଦେଇ ସାମ୍ପ୍ରତିକ କଥାସାହିତ୍ୟରେ ଗାଁ ଏବଂ ସହରୀ ମଣିଷର ଜୀବନ ଜୀବିକା, ସଂଘର୍ଷ, ସଂଘାତ, ସମସ୍ୟା ସମ୍ପର୍କରେ ଗଭୀର ଆଲୋକପାତ କରିଥିଲେ l ମହାବିଦ୍ୟାଳୟ ଓଡ଼ିଆ ବିଭାଗମୁଖ୍ୟ ଡ. ଦୀପ୍ତିମୟୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପାଠଚକ୍ର ଆଲୋଚନାକୁ ଅଧ୍ୟାପିକା ଶୁଭଶ୍ରୀ ମହାନ୍ତି ସଂଯୋଜନା କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ନିହାରିକା ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ଅଧ୍ୟାପିକା ସୁଜାତା ପାହାନ ଅତିଥି ପରିଚୟ ପ୍ରଦାନ କରିଥିଲେ l ବିଶେଷଜ୍ଞ ଅଭିଭାଷଣ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଛାତ୍ରୀ ରଚନା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରୀ ଯୋଗଦେଇଥିଲେ l